ଗୋଟିଏ ଗାଆଁରେ ଦୁଇ ଜଣ ଭଉଣୀ ଥାଆନ୍ତି I ବଡ ଭଉଣୀଟି ଜଣେ ଧନୀ ମହାଜନଙ୍କୁ ବିବାହ କରିଥାନ୍ତି ଓ ସାନ ଭଉଣୀ ପାହୋମ ନାମକ ଜଣେ ସାଧାରଣ ଚାଷୀଙ୍କୁ ବିବାହ କରିଥାଏ I ଦିନେ ବଡ ଭଉଣୀ ତାଙ୍କ ସାନ ଭଉଣୀ ଘରକୁ ବୁଲିବାକୁ ଆସିଲେ I ଧନୀ ଘରର ହୋଇଥିବାରୁ କେତେ ବଡ଼ ବଡ଼ କଥା ଗପିଚାଲିଲେ ହେଲେ ସାନ ଭଉଣୀ ନିଜ ସ୍ଥିତିରେ ଠିକ୍ ଅଛି ବୋଲି କହିଲା I ବଡ ଭଉଣୀ କହିଲେ, ଧନ ନ ଥିଲେ ସୁଖରେ ଚଳିବୁ କେମିତି ? ସାନ ଭଉଣୀ ଉତ୍ତର ଦେଲା – “ଧନ ଥିଲେ କାଳେ କିଏ ନେଇଯିବାର ଚିନ୍ତା ସବୁବେଳେ ଲାଗି ରହିଥାଏ I ଆମ ଭଳି ସାଧାରଣ ଲୋକର ସେ ଚିନ୍ତା ନାହିଁ I ଆମେ ବହୁତ ଭଲରେ ଅଛୁ” I ଦୂରରେ ଥାଇ ପାହୋମ ସବୁକଥା ଶୁଣୁଥିଲା I ଭାବିଲା, ସତ କଥା I ଆମ ଚାଷୀଙ୍କର ଲୋଭ ନାହିଁ, ଖଟିଲୁ, ଖାଇଲୁ I ଖାଲି ଏତିକି ଯେ ଆମକୁ ଯେତିକି ଜମି ଦରକାର ସେତିକି ଥିଲେ ହେଲା I
ପାହୋମ ମନକୁ ମନ ପୁଣି କହିହେଲା, ମୋର ଯଦି ଅଧିକ ଜମି ହୋଇଯିବ ତା’ହେଲେ ସ୍ଵୟଂ ସଇତାନ ଆସିଲେ ବି ମୋର କିଛି କ୍ଷତି କରିପାରିବନି I ସଇତାନଟିଏ ପାଖରେ ଥାଇ ସବୁକଥା ଶୁଣୁଥିଲା I ପାହୋମର ନିର୍ଲୋଭତା ପରୀକ୍ଷା କରିବା ପାଇଁ ସେ ଚେଷ୍ଟା କଲା I
ପାହୋମର
ଗାଆଁ ପାଖରେ ଜଣେ ଧନୀ ମହିଳାଙ୍କ ଘର ଥିଲା ଯିଏ କି ଗୋଟେ ବିରାଟ ଚାଷ ଜମିର ମାଲିକାଣୀ ଥିଲେ I ସେ ବର୍ଷ ଶୀତ ଦିନେ ପାହୋମ ଶୁଣିବାକୁ ପାଇଲା ଯେ, ସେ ଧନୀ
ମହିଳାଜଣକ ତାଙ୍କ ଚାଷ ଜାଗାଟିକୁ ବିକି ଦେବେ I ସେଥିରୁ ପ୍ରାୟ ପଚାଶ
ଏକର ଜଣେ କାହାକୁ ସେ ଅଧା ଦାମରେ ବିକି ସାରିଥିଲେ I ବାକି ଅଧକର ପଇସା
ପାଇଁ ସେ ବର୍ଷେ ଅପେକ୍ଷା କରିବାକୁ ରାଜିଥିଲେ I
ପାହୋମ ସେହି ଜମିଟିକୁ କିଣି ନେବାକୁ ଚିନ୍ତା କଲା I ସଙ୍ଗେ ସଙ୍ଗେ ଯାଇ ସ୍ତ୍ରୀଙ୍କୁ କହିଲା, ଆମେ ଅତି କମ୍ ରେ କୋଡ଼ିଏ ଏକର ଜମି କିଣି ନେବା I ...ହେଲେ ଆମ ପାଖରେ କେବଳ ମାତ୍ର ଶହେ ରୁବେଲ ଅଛି, ଏତେ ପଇସା କୋଉଠୁଁ ପାଇବା I ସ୍ଵାମୀ ସ୍ତ୍ରୀ ଦୁହେଁ ଏକାଠି ବସି ଚିନ୍ତା କରିବାକୁ ଲାଗିଲେ I ଏଥିପାଇଁ ପାହୋମ ତା’ର ଏକମାତ୍ର ଘୋଡାକୁ ବିକିଦେଲା I ତା’ପରେ ଗୋଠରୁ ଅଧେ ଗାଈ ବିକ୍ରି କରିଦେଲା I ଗୋଟିଏ ପୁଅକୁ ଜଣକ ପାଖରେ କାମରେ ଲଗାଇ ଆଗତୁରା ବର୍ଷକର ମଜୁରି ନେଇ ଆସିଲା I ତଥାପି ପଇସା ନ ଅଣ୍ଟିବାରୁ ନିଜ ମହାଜନ ଭିଣୋଇ ଠାରୁ ଧାର ନେଇ ଆସିଲା I ଏବେ ପଇସା ଧରି ପାହୋମ ଧନୀ ମହିଳାଙ୍କ ପାଖକୁ ଗଲା I ମୂଲଚାଲ ପରେ ଚାଳିଶ ଏକର ଜମି ସକାଶେ କଥା ଛିଡିଲା I ଜମିର ଅଧା ଟଙ୍କା ଦେଇ ବାକି ଅଧକ ଦୁଇ ବର୍ଷରେ ଦେବା ପାଇଁ ଚୁକ୍ତି ରହିଲା I
ଏବେ ପାହୋମ ଜଣେ ଜମିଦାର I ଶସ୍ୟ ଆଣି ଚାଷ ଜମିରେ ବୁଣିଦେଲା I ଫସଲ ଭଲ ଫଳିବାରୁ ମାତ୍ର ଗୋଟିଏ ବର୍ଷରେ ସେ ସବୁତକ ଋଣ ଶୁଝିଦେଲା I ମନ ଖୁସିରେ ପାହୋମ ନିଜ କ୍ଷେତରେ ଯାଇ ବୁଲିଲା I ହେଲେ, ସଇତାନ ତାକୁ ଛାଡୁଛି କୋଉଠୁ ? ତା ପରବର୍ଷ ବି କ୍ଷେତରେ ଭଲ ଫସଲ ହେଲା I ପଡୋଶୀମାନେ ଈର୍ଷାନ୍ଵିତ ହୋଇ ଜମିରେ ଗୋରୁ ଗୋଠ ଛାଡି ଦେଲେ I ପଡୋଶୀମାନଙ୍କୁ ଯେତେ ନେହୁରା ହେଲେ ବି ସେମାନେ ପାହୋମର କଥା ଶୁଣିଲେଣି I ବାଧ୍ୟ ହୋଇ ପାହୋମ ପଡୋଶୀଙ୍କ ନାମରେ ମକଦ୍ଦମା ରୁଜ୍ଜୁ କରିବାରୁ ସେମାନେ ଶତ୍ରୁ ପାଲଟିଗଲେ I ଦିନେ ସକାଳେ ସେ ଦେଖିବାକୁ ପାଇଲା ତା କ୍ଷେତରୁ କେହିଜଣେ ଗୁଡାଏ ଗଛ କାଟି ପକାଇଛି I ସେ ସ୍ତିର କଲା ନାଁ, ସେ ସେଠି ଆଉ ରହିପାରିବନି I ଭଲ ଦାମ୍ ରେ ସେଠାକାର ଜମିବାଡି ଓ ଜିନିଷପତ୍ର ସବୁ ସେ ବିକ୍ରି କରିଦେଲା I
ଶୀତ ଯାଇ ବସନ୍ତ ଋତୁ ଆସୁ ଆସୁ ଗୋଟେ ନୂଆ ଅଞ୍ଚଳକୁ ଉଠିଗଲା ସେ I ଋଷିଆରେ ସେତେବେଳେ କିଛି ଲୋକ ମିଳିମିଶି ସମବାୟ ଚାଷ କରୁଥିଲେ I ସେ ସମବାୟକୁ ଦରଖାସ୍ତ ଦେବାରୁ ପାଞ୍ଚଟି ଅଲଗା ଅଲଗା ଜାଗାରେ ୧୨୫ ଏକର ଜାଗା ମିଳିଗଲା I ପାହୋମ ଏବେ ପୂର୍ବ ଅପେକ୍ଷା ଦଶ ଗୁଣ ଅଧିକ ଧନୀ ହୋଇଗଲା I ସେଥିରୁ ସେ ଭଲ ଘର ଏବଂ ଗୁହାଳ ଖଣ୍ଡେ କଲା I ଦିନେ ସ୍ତ୍ରୀକୁ ଡାକି କହିଲା, ଆମେ ଏବେ ଧନୀ, ହେଲେ ଏତିକି କ’ଣ ଯଥେଷ୍ଟ ? ପାହୋମ ନିଜ ଜମିରେ ଗହମ ବୁଣିଲା I ଫସଲ ଭଲ ହେବା ସହ ଦିନକୁ ଦିନ ତା’ର ଲୋଭ ବଢି ଚାଲିଲା I ଏବେ ଆଉ କିଛି ଜମି ଭାଗରେ ନେଇ ନିଜ ଜମିକୁ ସେଥିରେ ମିଶାଇ ଗୋଟିଏ ମଝାମଝି ଜାଗାରେ ଫାର୍ମହାଉସଟିଏ କଲା I ତିନିବର୍ଷ ଧରି ଫସଲ ଖୁବ ଭଲ ହେଲା I ସେ ଅଧିକରୁ ଅଧିକ ଧନୀ ହେବାରେ ଲାଗିଲା I ସେତିକିରେ ପାହୋମ ଆନନ୍ଦରେ ରହିପାରିଥାନ୍ତା, ହେଲେ... ଲୋଭ ବଢିବା କାରଣରୁ ସେ ପୁଣି ଜମି କିଣିବାକୁ ଖୋଜି ବୁଲିଲା I
ଯୋଗକୁ ପାହୋମ ଏବେ ଜଣେ ବଡ଼ ଚାଷୀକୁ ପାଇଗଲା ଯିଏ କି ବିପଦରେ ପଡ଼ି ତାଙ୍କର ତେର ଶହ ଏକର ଜମିକୁ ବିକିବାକୁ ଚାହୁଁଥିଲେ I ଶସ୍ତାରେ ମୂଲଚାଲ ହୋଇଗଲା I ଅଧା ଟଙ୍କା ପରେ ଦେଲେ ଚଳିବ I କାଗଜ ପତ୍ର କାମ କେବଳ ବାକି ଥିଲା I ଏତିକିବେଳେ ପାହୋମ ଘରକୁ ଜଣେ ଅତିଥି ଆସିଲେ I ଚାହା ପିଉ ପିଉ ପାହୋମ ତାଙ୍କୁ ଜମି କିଣା କଥା କହିଲେ I ଅତିଥି କିନ୍ତୁ ଚମକାଇ ଦେଲା ଭଳି କଥାଟିଏ କହିଲେ I ଏଠାରୁ ତିନିଶହ ମାଇଲ ଦୂରରେ ବାସ୍କିରମାନେ ରହନ୍ତି ଯେଉଁମାନେ ବହୁତ ଶସ୍ତାରେ ଜମି ବିକନ୍ତି I ଖାଲି ଏତିକି ଯେ ବାସ୍କିରମାନଙ୍କ ମୁଖିଆଙ୍କୁ ଉପହାର ଦେଇ ମନେଇବାକୁ ପଡିବ I ଚାହା ସେମାନଙ୍କ ପାଇଁ ସବୁଠୁ ମୂଲ୍ୟବାନ ପଦାର୍ଥ I ଅତିଥି ଜଣକ ସେଠାରୁ ତେର ହଜାର ଏକର ଜମି କିଣିଥିବା କଥା କହି କାଗଜ ପତ୍ର ଦେଖାଇଲେ I
ହିସାବ କରିବାରେ ଲାଗିଗଲା ପାହୋମ I ତା’ହେଲେ ତ ମୁଁ ସେତିକି ପଇସାରେ ଅନେକ ଜମି କିଣି ପାରିବି !! ଆଉ କାଳ ବିଳମ୍ବ ନ କରି ସ୍ତ୍ରୀକୁ ଘରର ଦାୟିତ୍ଵ ଦେଇ ସେ ଘୋଡା ଚଢି ଚାଲିଲା ବାସ୍କିର ଅଞ୍ଚଳ ଆଡକୁ I ବାସ୍କିରମାନଙ୍କ ମୁଖିଆଙ୍କୁ ଉପହାର ଦେବା ପାଇଁ ସାଥିରେ ଚାହା ପେଟି ବି ନେଇଗଲା I ସାତ ଦିନ ପରେ ଯାଇ ସେ ବାକ୍ସିର ଅଞ୍ଚଳରେ ପହଞ୍ଚିଲା I ସେତେବେଳକୁ ଘୋଡା ଦୁଇଟି ନୟାନ୍ତ ହୋଇ ଯାଇଥିଲେ I
ନଈକୂଳିଆ ଏକ ବିସ୍ତୃତ ଅଞ୍ଚଳରେ ତମ୍ବୁ ପକାଇ ରାହୁଥାନ୍ତି ବାସ୍କିରବାସୀମାନେ I ସବୁଆଡେ ଖାଲି ଘାସ ଆଉ ଘାସ I ସେମାନେ ଚାଷ କ’ଣ ଜାଣନ୍ତି ନାହିଁ କି ରୁଟି ଖାଆନ୍ତି ନାହିଁ I ପାଳିଥିବା ପଶୁଙ୍କୁ ମାରି ତା’ର ମାଂସ ଖାଇ ରହନ୍ତି I ଘୋଡା ପାଳନ କରି ସେମାନଙ୍କ କ୍ଷୀରରେ ବାସ୍କିର ନାରୀମାନେ ଛେନା କରନ୍ତି ଓ ଛେନା ପାଣିରେ କୁମିସ ମଦ ପ୍ରସ୍ତୁତ କରନ୍ତି I ବାସ୍କିର ପୁରୁଷମାନେ ସାରା ଦିନ ମଦ ମାଂସ ଖାଇ ହୁକା ଟାଣନ୍ତି I ସଉକରେ ଚାହା ପିଇ ଅଳସ କରନ୍ତି I ଦେଖିବାକୁ ହୃଷ୍ଟପୃଷ୍ଟ ହେଲେ କିଛି କାମ ଧନ୍ଦା ନାଇଁ I ଦିନରାତି ଗପ ମଉଜରେ ସମୟ ବିତେ I ପାହୋମକୁ ଦେଖି ସେମାନେ ଘେରି ଗଲେ I ଉପହାର ଦେଖି ବାସ୍କିରମାନଙ୍କ ଆନନ୍ଦ କହିଲେ ନ ସରେ I ଅତିଥି ପାହୋମ ନିମନ୍ତେ ଭୋଜିର ଆୟୋଜନ ହେଲା I ସେମାନଙ୍କୁ ଋଷ୍ ଦେଶର ଭାଷା ଜଣା ନ ଥିଲା I ତେଣୁ ଆଉ ଜଣେ ମଧ୍ୟସ୍ଥି ହୋଇ ପାହୋମର କଥାକୁ ବାସ୍କିର ଭାଷାରେ ବୁଝାଇ ଦେଉଥାନ୍ତି I ସେମାନେ ପଚାରିଲେ, ତୁମକୁ ଆମ ଏଠିକାର କେଉଁ କଥା ଭଲ ଲାଗୁଛି ? ପାହୋମ ହସି ହସି ହାତ ଠାରି କହିଲା, ତୁମର ଜମି I ଆମ ଅଞ୍ଚଳ ଠାରୁ ଏ ମାଟି ଖୁବ ଉର୍ବର I
ମଧ୍ୟସ୍ଥି କହିଲେ- ତୁମ ଉପହାର ବଦଳରେ ସେମାନେ ତୁମକୁ ମନଇଛା ଜମି ଦେବାକୁ ଚାହାନ୍ତି I ଯେତେ ପାର ସେତେ ଜମି I ଖାଲି ଏତିକି ଯେ ତୁମକୁ ଦେଖାଇବାକୁ ପଡିବ କେଉଁଠାରୁ କେଉଁ ଯାଏ ନେବାକୁ ଚାହୁଁଛ I ସବୁକଥା କିନ୍ତୁ ବାସ୍କିର ମୁଖିଆଙ୍କୁ ପଚାରି କରାଯିବ I ପାହୋମ ବ୍ୟଗ୍ର ହୋଇ ପଚାରିଲା- ହେଲେ ମୁଖିଆ ମହାଶୟ କାହାନ୍ତି ? ଏତିକିବେଳେ ରୁମୁରୁମିଆ ଟୋପି ପିନ୍ଧି ଜଣେ ବ୍ୟକ୍ତି ଆସି ପହଞ୍ଚିଲେ I ତାଙ୍କୁ ଦେଖି ସମସ୍ତେ ଚୁପଚାପ ଠିଆ ହେଲେ I ମଧ୍ୟସ୍ଥି ଜଣକ ପାହୋମକୁ ମୁଖିଆ ସହ ପରିଚୟ କରାଇ ଦେବାରୁ ପାହୋମ ନଇଁ ପଡି ତାଙ୍କ ନିମନ୍ତେ ରଖିଥିବା ଉପହାର ଦେଇଦେଲା I ମୁଖିଆ ପାହୋମକୁ ଆଦର କରି ବସାଇଲେ ଓ ନିଜ ଲୋକଙ୍କ ଠାରୁ ସବୁକଥା ଶୁଣିଲେ I ଏବେ ସେ ସିଧାସଳଖ ରୁଷ ଭାଷାରେ ପାହୋମକୁ କହିଲେ ଆମର ଏଠି ଅନେକ ଜମି I ଯେତେ ଇଚ୍ଛା ସେତେ ନେଇପାର I ପାହୋମ ଭାବିଲା ଇଏ କି କଥା ? ଜମି ନେବା ପାଇଁ ତ ସରକାରୀ ଟିକଟ ଲଗା କାଗଜ ପତ୍ର ଦରକାର ନ ହେଲେ ପୁଣି ପରେ କହିବେ ଆମେ ଦେଇନୁ I ତା’ପରେ ସେ କହିଲା, ମୋର ବେଶି ଦରକାର ନାହିଁ, କିନ୍ତୁ କେଉଁତକ ଜମି ମୋର ମୁଁ ଜାଣିବି କେମିତି ? ଜମିତକ ମାପ କରି କାଗଜ ପତ୍ରରେ ଲେଖିକରି ଦେଲେ ସିନା ହେବ I ମୁଖିଆ ପାହୋମ କଥାରେ ରାଜି ହୋଇଗଲେ I
ଏବେ ପାହୋମ ଜମିର ଦରଦାମ୍ କଥା ତୁଟାଇବାକୁ ଚାହିଁବାରୁ ମୁଖିଆ କହିଲେ – ଆମର ଦର ସବୁବେଳେ ସେଇଆ I ଦିନକୁ ହଜାରେ ରୁବେଲ I କିଛି ବୁଝି ନ ପାରିଲା ଭଳି ଚାହିଁଲା ପାହୋମ I ପଚାରିଲା- ମାନେ, ଦିନକୁ କହିଲେ କେତେ ଏକର ? ମୁଖିଆ ଉତ୍ତର ଦେଲେ- ଆମେ ଜମିକୁ ଏକରରେ ମାପୁନା ବରଂ ଦିନ ଅନୁସାରେ ହିସାବ କରୁ I ପୁଣି ବୁଝାଇ କହିଲେ – ଦିନ ସାରା ପାଦରେ ଯେତିକି ଅଞ୍ଚଳ ଜଣେ ମାଡି ପାରିବ, ସେତକ ସେ ଏକ ହଜାର ରୁବେଲ ଦେଇ ନେଇ ପାରିବ I ପାହୋମକୁ ଆଶ୍ଚର୍ଯ୍ୟ ଲାଗିଲା I ସେ କହିଲା, ସେମିତି ହେଲେ ଦିନକ ଭିତରେ ତ ମୁଁ କେତେଗୁଡାଏ ଅଞ୍ଚଳ ମାଡି ଯାଇପାରିବି I ପାହୋମ କଥା ଶୁଣି ମୁଖିଆ ହସିଲେ ଓ କହିଲେ, ଠିକ ତ I ସବୁ ଜମି ତୁମର ହେବ I ତେବେ ଗୋଟିଏ ସର୍ତ୍ତ I ଯେଉଁଠୁ ତୁମେ ଆରମ୍ଭ କରିଥିବ ଦିନ ସରିବା ପୂର୍ବରୁ ଚକ୍କର କାଟି ସେଇଠିକୁ ଫେରିବାକୁ ହେବ I ନଚେତ ଜମି ମିଳିବନି କି ପଇସା ଫେରସ୍ତ ମିଳିବନି I ପାହୋମ ବ୍ୟଗ୍ର ହୋଇ ପଚାରିଲା- ହେଲେ ମୁଁ କେଉଁଠୁ ଆରମ୍ଭ କଲି ଆପଣମାନେ ଜାଣିବେ କିପରି ? ମୁଖିଆ କହିଲେ ଆମେ ସାଙ୍ଗରେ ଯିବୁ I ସେଇ ଆରମ୍ଭ ସ୍ଥାନରେ ତୁମେ ଫେରିବା ଯାଏ ଅପେକ୍ଷା କରିବୁ I ତୁମେ ଆରମ୍ଭ ସ୍ଥାନକୁ ଚିହ୍ନଟ କରିବା ପାଇଁ ହାତରେ ଗୋଟେ ଫାଉଡା ଧରିଥିବ I ସୂର୍ଯ୍ୟ ଅସ୍ତ ହେବା ପୂର୍ବରୁ ଆରମ୍ଭ ଚିହ୍ନ ଦେଇଥିବା ସ୍ଥାନକୁ ଫେରିବ I ତା’ପରେ ସେ ଘେରକଟା ଅଞ୍ଚଳ ତୁମର ବୋଲି ଜାଣିବ I
ପାହୋମ ମୁହଁରେ ହସ ଫୁଟି ଉଠିଲା I ଭୋର ସକାଳୁ ଉଠି କାମ ଆରମ୍ଭ କରିବାକୁ ପଡିବ I ବାସ୍କିରମାନେ ହସଖୁସିରେ ନିଜ ନିଜ ତମ୍ବୁକୁ ଫେରିଲେ I ପାହୋମକୁ ବି ଶେଯ ମିଳିଲା I ହେଲେ ରାତିସାରା ନିଦ ନାହିଁ ପାହୋମକୁ I ଭାବିଲା – ଦିନକେ ସେ ପାଖାପାଖି ପଞ୍ଚତିରିଶ ମାଇଲ ମାଡିଯିବ I ତେଣିକି ଭଲ ଜମିତକ ରଖି, ଖରାପକୁ ବିକି ଦେବ I ପାଖ ତମ୍ବୁରୁ କାହାର ଅଟ୍ଟହାସ ଶୁଭୁଥାଏ କାନରେ I କିଏ ସେ ହସୁଛି ? କିଏ ସଇତାନ ?? ମନକୁ ମନ କହିହେଲା - ନାଁ... ନାଁ ... I ପାହୋମ ପୁଣି ଶବ୍ଦ ଶୁଣି ଡରିଗଲା I ଅନିଶା କରି ଦେଖିଲାବେଳକୁ ସେଠି ସଇତାନ ଗୋଟିଏ ଶବ ପାଖରେ ଠିଆ ହୋଇ ହସୁଛି I ଉଠିବସିଲା ପାହୋମ I ପ୍ରକୃତରେ ସେ ସ୍ଵପ୍ନ ଦେଖୁଥିଲା I ଇସ୍ କି ଭୟାନକ !!
ବାହାରକୁ ଚାହିଁ ଦେଖିଲା ସିନ୍ଦୂରା ଫାଟିଲାଣି I ଏଇ ବୋଧେ ସକାଳ ପାହିବ I ଧଡ଼ପଡ଼ ହୋଇ ପୋଷାକ ପିନ୍ଧି ସେ ବାହାରି ପଡିଲା ବାସ୍କିରମାନଙ୍କୁ ଡାକିବା ପାଇଁ I ତମ୍ବୁ ବାହାରକୁ ଆସି ବାସ୍କିରମାନେ ପାହୋମକୁ ଡାକିଲେ ଚାହା ପିଇବା ପାଇଁ I ପାହୋମ କିନ୍ତୁ ସଫା ସଫା ମନା କରିଦେଲା I କହିଲା, ଶୀଘ୍ର ଆସ, ବେଳ ଗଡି ଯାଉଛି I ଜଣେ ବାସ୍କିରବାସୀ ସହ ଫାଉଡାଟିଏ ଧରି ପାହୋମ ଆଗେ ଆଗେ ଚାଲିଲା I ପୂରା ସକାଳ ହୋଇନି I ପୂର୍ବ ଆକାଶରେ ଲାଲ ରଙ୍ଗ I ସମସ୍ତେ ଆରମ୍ଭ ସ୍ଥାନରେ ପହଞ୍ଚିଲେ I ସେଇଟା ଥିଲା ଏକ ଉଚ୍ଚ କୁଦ ଜାଗା I ଏତିକିବେଳେ ବାସ୍କିର ମୁଖିଆ ହାତ ଉଠାଇ କହିଲେ - ଏ ସମଗ୍ର ଅଞ୍ଚଳ ଆମର I ତୁମେ ଯେତେ ଇଚ୍ଛା ସେତେ ନେଇପାର I
ଜ୍ୟାକେଟରେ କିଛି ଖାଇବା ଜିନିଷ ଓ ପାଣି ପୂରାଇ ବେଲ୍ଟ ଭିଡ଼ି ନେଲା ପାହୋମ I ତଳେ ଥୁଆ ହୋଇଥିବା ମୁଖିଆର ଟୋପି ଉପରେ ରଖିଦେଲା ଟଙ୍କା ଥଳି I ଏବେ ଆଗକୁ ଚାହିଁ ଭାବିଲା, କେଉଁ ଦିଗକୁ ଆଗ ଯିବ I ସେଇଠୁ ମନକୁ ମନ କହିଲା – ଠିକ୍ ଅଛି, ଉଇଁଥିବା ସୂର୍ଯ୍ୟକୁ ସାମ୍ନା କରି ଚାଲିଲେ ଠିକ୍ ହେବ I ସୂର୍ଯ୍ୟ ପୂର୍ବ ଦିଗରେ ଯେମିତି ମୁହଁ ଦେଖାଇଲେ, କୋଦାଳଟା ଧରି ଚାଲିଲା ପାହୋମ I ଧୀରେ ନୁହେଁ କି ଜୋରରେ ନୁହେଁ I ପ୍ରାୟ ହଜାରେ ଗଜ ଗଲାପରେ କୋଦାଳରେ ଗାଡ଼ କରି ସେଇ ମାଟିରେ ଗୋଟେ ଛୋଟିଆ ଗଦା କରିଦେଲା I ବାସ୍ , ସେଇଟା ହେଲା ପ୍ରଥମ ଚିହ୍ନ I
ଏବେ ଉତ୍କଣ୍ଠାର ସହ ସେ ଜୋରରେ ଆଗେଇ ଚାଲିଲା I ବାଟରେ ଚିହ୍ନ ସକାଶେ ମାଟି ଗଦା ତିଆରି ଚାଲିଥାଏ I ପଛକୁ ଅନାଇଲା ପାହୋମ I ହେଇ ତ, ବାସ୍କିରମାନେ ଠିଆ ହୋଇଥିବା ଉଚ୍ଚ ସ୍ଥାନଟା ଦେଖାଯାଉଛି I ପାହୋମ ଅନୁମାନ କଲା ତିନି ମାଇଲ ଖଣ୍ଡେ ଆସିବଣି ସେ I ଖରାର ତେଜ ବଢି ଚାଲିଥାଏ I ଜ୍ୟାକେଟଟା ଆଡେଇ ସେ କାନ୍ଧରେ ପକାଇଲା I ଆରେ! କିଛି ଖିଆ ହୋଇନି ସକାଳୁ I ଭୋକ ଲାଗିଲାଣି I ଟିକିଏ ବସିଯାଇ ପାଉରୁଟି ବାହାର କରି ଦୁଇ ପୁଳା ଖାଇଦେଲା ସେ I ମନକୁ ମନ ଭାବିଲା – ସମୟ ନଷ୍ଟ କରିବା ଉଚିତ ନୁହେଁ I କିଛି ନ ହେଲେ ତାକୁ ତିରିଶ ମାଇଲ ଅଞ୍ଚଳ ଘେର କାଟିବାକୁ ପଡିବ I ଏବେ ଦୌଡିଲା ଭଳି ସେ ଚାଲିବାକୁ ଲାଗିଲା I ମାଟି ରଙ୍ଗରୁ ଭଲ ଜମି ଅନୁମାନ କରି ତା’ର ଲୋଭ ବଢିଗଲା I ଏବେ ଲାଗୁଥିଲା ଯେମିତି ସେ ଗୋଟେ ଚାଲୁଥିବା କଳ I ସେ କିଏ, କୁଆଡେ ଆସିଛି, ପରିବାର କେଉଁଠି କିଛି ମନେ ପଡୁ ନ ଥାଏ ତା’ର I କେବଳ ଚାଲୁଥାଏ ଆଉ ଚାଲୁଥାଏ I ସୂର୍ଯ୍ୟ କେତେବେଳେ ମୁଣ୍ଡ ଉପରୁ ଖସି ଖସି ବୁଡିବାକୁ ବସିଲେଣି I ବର୍ତ୍ତମାନ ଦେହ ଅଚଳ, ଝାଳରେ ଜୁଡୁବୁଡୁ I ଆଖି ଭରିଗଲାଣି କ୍ଳାନ୍ତିରେ I ସୂର୍ଯ୍ୟ ଲାଲ ଟହଟହ ହୋଇ ବୁଡ଼ିବାକୁ ବସିଲେଣି I ବାସକିରମାନେ ଅପେକ୍ଷା କରିଥିବା ସ୍ଥାନଟି ବହୁତ ଦୂରରେ ଅଛି I ପହଞ୍ଚି ହେବନି କି ??? ହେ ଭଗବାନ I ଦେହରେ ବଳ ନାହିଁ ଅଥଚ ପ୍ରାଣ ବିକଳରେ ଧକେଇ ଦଉଡୁଥାଏ ପାହୋମ I ଇସ ଏ ଝାଳୁଆ ପୋଷାକ ସବୁ ଅଡୁଆ କରୁଛି I ଦେହରୁ ସାର୍ଟ ଓ ଗଞ୍ଜି ବାହାର କରି ଫୋପାଡିଦେଲା ସେ I ନାଁ ନାଁ ଆଉ ଜୋତା ପିନ୍ଧି ହେବନି I ଜୋତା ମୋଜା ବି ସେ ଫୋପାଡିଦେଲା I ଛାତି ତା’ର ପଡୁଥାଏ ଉଠୁଥାଏ I ସୂର୍ଯ୍ୟ ବୁଡିଯିବେନି ତ !!! ବାସ୍କିରମାନେ ଅପେକ୍ଷା କରିଛନ୍ତି I ପାହୋମ ଦେଖିପାରୁଥାଏ ସେମାନଙ୍କୁ I ଏବେ ଚାରିଆଡେ ଝାପ୍ସା ଝାପ୍ସା ଦିଶୁଥାଏ I ବାସ୍କିରମାନେ ପାଟିକରି କହୁଥାନ୍ତି, ଦୌଡି ଦୌଡି ଚାଲି ଆସ I ଏଇ ତୁମେ ପହଞ୍ଚିଗଲ ବୋଲି ଜାଣ I ଆଉ ପ୍ରାଣ ନ ଥାଏ ପାହୋମ ଦେହରେ I ଛାତିରେ ହାତୁଡି ପିଟିହେଉଥାଏ I ନାଁ, ଆଉ ପାରିବିନି I
ଅଳ୍ପ ଦୂରରେ ଆରମ୍ଭ ଚିହ୍ନ I ଟୋପି ଉପରେ ଟଙ୍କା ଥଳିଟା ଦିଶୁଛି I ସୂର୍ଯ୍ୟ ପୂରାପୂରି ବୁଡିଗଲେ ଏଥର I ସମସ୍ତ ଶକ୍ତି ଖଟାଇ ଟଳମଳ ଅବସ୍ଥାରେ ପାହୋମ ଭିଡିନେଲା ନିଜକୁ I ଏବେ ଚିତ୍କାରଟିଏ ଶୁଭିଲା, ଯାଃ... ମୋର ସମସ୍ତ ଶ୍ରମ ବୃଥା ଗଲା I ବାସ୍କିର ମୁଖିଆ ହସୁଥାଏ ପାଟିକରି I ପାହୋମକୁ ଲାଗିଲା ସେ ହସ ସଇତାନର ହସ I ଶେଷ ଉଦ୍ୟମ କରି ପାହୋମ ଏକ ପ୍ରକାର ଫୋପାଡିଦେଲା ନିଜକୁ I ହାତ ବାଜିଲା ଯାଇ ଟଙ୍କା ଥଳିଟା ଉପରେ I ମୁଖିଆ ଟାକରା ଫୁଟାଇ କହିଲେ, ‘ବାସ୍ ବାସ୍ ହୋଇଗଲା’ I ସେତେବେଳକୁ ପାହୋମର ପ୍ରାଣବାୟୁ ଉଡିଯାଇଥିଲା I ଲୋକେ ଦୌଡି ଆସିଲେ I ପାହୋମର ପାଟିରୁ ଛୁଟିଚାଲିଥିଲା କେବଳ ରକ୍ତର ଧାର I
ରାତି ଘନେଇ ଆସିଲା I ଜଣେ ଲୋକ ଗାଡଟିଏ ଖୋଳି ସମାଧି ଦେଲା
ପାହୋମକୁ I ଗାଡଟିର ଲମ୍ବ ଥିଲା ମାତ୍ର ଛଅ ଫୁଟ I ସେତିକି ଜମି ପାହୋମର ଜଡ ଶରୀରଟି ସକାଶେ ଯଥେଷ୍ଟ ଥିଲା I
***
( ଜଣେ ଲୋକର କେତେ ଜମି ଲୋଡା ? ଏହି ଗଳ୍ପଟି ବିଖ୍ୟାତ ରୁଷୀୟ ଲେଖକ ଲିଓ ଟଲଷ୍ଟୟଙ୍କ ଦ୍ଵାରା ଲିଖିତ ‘How Much Land Does
A Man Require?’ ର ଓଡିଆ ଅନୁବାଦ I ଏଇଟିକୁ ସେ ୧୮୮୬
ମସିହାରେ ଲେଖିଥିଲେ I ପାହୋମ ନାମକ ଏକ ବ୍ୟକ୍ତି କିପରି ଜମି ଲୋଭରେ ପଡ଼ି
ଜୀବନର ସବୁକିଛି ହରାଇଥିଲେ ତାହା ନିଖୁଣ ଭାବରେ ଚିତ୍ରିତ ହୋଇଛି ଏହି ଗଳ୍ପ ମାଧ୍ୟମରେ I
ଆଜିର ବସ୍ତୁବାଦୀ ଦୁନିଆରେ ଲୋଭ,ମୋହ, ମାୟାରେ ଆସକ୍ତ ମାନବସମାଜକୁ ଦିଗଦର୍ଶନ ଦେବା ନିମନ୍ତେ ଲେଖକଙ୍କର ପ୍ରୟାସ ଅତ୍ୟନ୍ତ ମହନୀୟ
ଓ ପ୍ରଶଂସନୀୟ I)
-ସମାପ୍ତ-

Comments
Post a Comment