!! ମୋହାଚ୍ଛନ୍ନ ମନ !!
ରାକ୍ଷୀ ଉଦ୍ଦେଶ୍ୟରେ କଥା ହେବା ପାଇଁ ବନ୍ଧୁକୁ ଫୋନ୍ କରିଥିଲି I ଅଳ୍ପ ଟିକିଏ କଥା ହୋଇଛି କି ନାହିଁ ସେ ମୋତେ କହିଲା, “ମୁଁ ବହୁତ ମାନସିକ ଚାପରେ ଅଛି, ତୁ ଶୁଣିଲେ ତୋ ପାଦ ତଳୁ ମାଟି ଖସିଯିବ I” ମୁଁ ଘଟଣାଟିକୁ ପୁଙ୍ଖାନୁପୁଙ୍ଖ ଜାଣିବାକୁ ଚାହିଁବାରୁ ସେ କହିଲା ଯେ, ତା’ର ଗୋଟିଏ ବୋଲି ଝିଆରୀ ଘର ଛାଡି କାହା ସାଙ୍ଗରେ ପଳାଇଛି I କାଲି ରାକ୍ଷୀ ଥିଲା, ସକାଳେ ସେ ଗାଧୋଇ ପାଧୋଇ ତା’ଭାଇକୁ ରାକ୍ଷୀ ବାନ୍ଧିଲା, ଆଉ ତା’ପରେ ମନ୍ଦିରକୁ ଯାଉଛି କହି ଚାଲିଗଲା ଯେ ଆଉ ଫେରିଲାନି I ଘରକୁ ଆସିବାରେ ବିଳମ୍ବ ହେବାରୁ ଘର ଲୋକେ ବ୍ୟସ୍ତ ହୋଇ ଫୋନ୍ କଲେ, ତାହା ସୁଇଚ୍ ଅଫ୍ ଆସିଲା I ସନ୍ଧ୍ୟା ବେଳକୁ ଫୋନ୍ ଅନ୍ କରି ନିଜଆଡୁ କହିଲା ଯେ ତା’ର ବାହାଘର ହୋଇସାରିଛି I ମୁଁ ମୋର ବନ୍ଧୁକୁ ଝିଅର ବୟସ ପଚାରିବାରୁ ୨୩ ବର୍ଷ ବୋଲି ଜାଣିବାକୁ ପାଇଲି ଓ କହିଲି – ତୁମେମାନେ ବ୍ୟସ୍ତ କ’ଣ ପାଇଁ ହେଉଛ, ସେ ତା ହିସାବରେ ନିଜ ଖୁସିରେ ବିଭା ହୋଇଛି I ଝିଅଟି କାଳେ ଗ୍ରାଜୁଏସନ କରି ବେଙ୍କିଙ୍ଗ ପାଇଁ କୋଚିଂ ନେଉଥିଲା I ତା’ହେଲେ ତ ନିଶ୍ଚେ ଭଲ ଜୀବନ ସାଥୀଟେ ଖୋଜିବାରେ ଭୁଲ କରି ନ ଥିବ I ହୋଇପାରେ ସେ ପିଲାଟି ତୁମଠୁଁ ଜାତିରେ ଛୋଟ ଅବା ସରକାରୀ ଚାକିରିଟେ କରି ନ ଥିବ ବୋଲି ସାମ୍ନା କରିପାରିନି ତୁମ ପରିବାରଲୋକଙ୍କୁ I ବ୍ୟସ୍ତ ହୁଅନି ବରଂ ଭଗବାନଙ୍କୁ ଗୁହାରୀ କର ଯେମିତି ଝିଆରୀ ତୁମର କୌଣସି ନିଶାଖୋର ହାବୁଡରେ ନ ପଡି ଗୋଟେ ଭଲ ଦାୟିତ୍ୟବାନ ଜୀବନ ସାଥୀର ହାତ ଧରିଥାଉ I ପ୍ରତ୍ୟୁତ୍ତରରେ ବନ୍ଧୁ ମୋର କହିପକାଇଲା, ବ୍ୟସ୍ତ ହେବୁନି କେମିତି ଯେ, ସେ ଆମ ଘରର ଗୋଟିଏ ବୋଲି ଅଳିଅର ଝିଅ ଥିଲା I ତା’ ଜନ୍ମର ଚାରି ମାସ ସମୟରେ ତା’ ମାଆ ଚାଲିଯିବାରୁ ସେ ମୋ ମାଆ ପଣତ କାନି ତଳେ କେତେ ଗେହ୍ଲବସରରେ ବଢିଥିଲା I ତା’ ବାହାଘରକୁ ନେଇ ମୋ ମାଆ କେତେ ସ୍ଵପ୍ନ ଦେଖିଥିଲା... ହେଲେ ସେ ଆମର ସବୁତକ ଇଚ୍ଛାକୁ ଧୂଳିସାତ କରି ଚାଲିଗଲା I ଆମକୁ ବେଶୀ ଖରାପ ଲାଗୁଛି ଆମ ଗାଆଁ ଲୋକଙ୍କ ସାମ୍ନାରେ ଆମ ନାକ କାଟିଦେଲା ସେ I କେତେ ଦିନର ମାନ ଇଜ୍ଜତ ସବୁ ପାଣି ଫୋଟକା ପରି ମିଳାଇଗଲା I ତୁ ଜାଣିନୁ ଆମ ଗାଆଁରେ ଆମର ସବୁଠୁଁ ଆଭିଜାତ୍ୟ ସମ୍ପନ୍ନ ଘର, କେତେ ଖାତିର ଅଛି ଆମ ଶାସନରେ I ଆଖି ଉଠାଇ ଆମକୁ ଦେଖିବାକୁ ଲୋକେ ଡରନ୍ତି ...ହେଲେ ଆଜି...I କାଲିଠାରୁ ଆମ ଘରେ ଚୁଲି ଜଳିନି... ସତୁରୀ ବର୍ଷର ମୋ ମାଆ ତ ମରିବ ମରିବ ହେଉଛି I “ଝିଆରୀକୁ ମୁଣ୍ଡରେ ବସାଇଥିଲ, ହେଲେ ସେ ତୁମ ମୁହଁରେ ଚୂନ ବୋଳି ଚାଲିଗଲା ନାଁ“ ଆଦି କହି ମୋ ସ୍ତ୍ରୀ ମୋତେ ତାନା ମାରୁଛି I ଲଜ୍ଜାରେ ମୁଁ ଘରୁ ବାହାରକୁ ବାହାରି ପାରୁନି, କ’ଣ କରିବି କିଛି ବୁଝି ପାରୁନି I କାରୋନା ଠାରୁ ବିଷମ ପରିସ୍ଥିତି ଏବେ ଆମ ଘରେ I ମୁଁ ମୋ ଝିଆରୀ ସହ ଦାଦା ନୁହେଁ ବରଂ ସାଙ୍ଗ ଭଳି ମିଶେ, ଅନ୍ତତଃ ତା ମନ କଥା ଖୋଲି ମୋତେ ଥରେ କହିଥିଲେ ମୁଁ ନିଶ୍ଚେ କିଛି କରିଥାନ୍ତି I କିଛିଦିନ ତଳେ ତା ବାହାଘର ଠିକ୍ ହୋଇସାରିଥିଲା ଆଉ ସେ ବି ରାଜି ଥିଲା I ଏବେ ଆମେ ବର ପକ୍ଷକୁ କି ଉତ୍ତର ଦେବୁ ଜାଣିପାରୁନୁ I ଆମ ପାଇଁ ସେ ମରିଯାଇଛି I
କଥାବାର୍ତ୍ତରୁ ବୁଝିଯାଇଥିଲି ଏମାନେ ମାନସିକ
ଭାବେ ଏତେ କଷ୍ଟ ପାଇବାର କାରଣ କ’ଣ ହୋଇପାରେ I କହିଲି-
ଯଦି ସେ ମରିଯାଇଛି ବୋଲି ଭାବୁଛ ତା’ହେଲେ ତା ପାଇଁ ଏତେ ଚିନ୍ତା
କାହିଁକି କରୁଛ ? ତା’ ଖୁସିରେ ତାକୁ
ବଞ୍ଚିବାକୁ ଦିଅ I ଜନ୍ମ ଠାରୁ ତାକୁ କୋଳେଇ କାଖେଇ ମଣିଷ କଲ ବୋଲି କ’ଣ ସେ ତୁମର ସମ୍ପତ୍ତି ହୋଇଗଲା ? ତା’ର କ’ଣ କିଛି ନିଜସ୍ଵ ଅଭିରୁଚି ନାହିଁ ବୋଲି ମୁଁ କହିଲି I
ତା’ର ବି ତ ପସନ୍ଦ ଅପସନ୍ଦ ଅଛି I ମୁଁ ମୋ ବନ୍ଧୁକୁ ବୁଝାଇବାକୁ ଚେଷ୍ଟା କଲି – ତୁମେମାନେ ତାକୁ ଛୋଟରୁ ବଡ କରିଛ ବୋଲି
କ’ଣ ତୁମମାନଙ୍କର ସମସ୍ତ ଇଚ୍ଛା ତା’ ଉପରେ
ଥୋପି ଦେବ ? ତା’ର କ’ଣ ସ୍ଵାଧୀନତା ବୋଲି କିଛି ନାହିଁ I ତାକୁ ତୁମେ ମୁକ୍ତ
ବିହଙ୍ଗ ହୋଇ ଉଡିବାକୁ ନ ଛାଡି ବରଂ ପିଞ୍ଜରାରେ ରଖିଥିଲ ବୋଲି ସେ ଆଜି ସମୟ ଉଣ୍ଡି ଘର ବାହାରକୁ
ଗୋଡ଼ କାଢି ଚାଲିଗଲା I ଏମିତି ବି ହୋଇଥାଇପାରେ ତୁମେମାନେ କୌଣସି ଝିଅ
ଛୋଟ ଜାତିକୁ ବିଭା ହେଲେ ନାପସନ୍ଦ କରିଥିବାର ଅଥବା ତତ୍ ସଂକ୍ରାନ୍ତୀୟ ଆଲୋଚନାରେ ବିରକ୍ତ
ହେଉଥିବାର ସେ ଝିଅ ଅନୁଭବ କରିଥାଇପାରେ I ଆଉ ସେଇଥିପାଇଁ ତା’ର ଇଚ୍ଛାକୁ ତୁମେମାନେ ଗୁରୁତ୍ଵ ନ ଦେବ ଭାବି ସେ ଏମିତିକା ପଦକ୍ଷେପ ନେଇଥାଇପାରେ I ମୋ କଥାର ଉତ୍ତରରେ ବନ୍ଧୁଜଣକ କହିଲା-“ହଁ, ତୁ ଠିକ କହିଲୁ, ଆମ ବଂଶରେ ଏମିତି ଘଟଣା ଆଗରୁ ଥରେ ହୋଇଛି I ମୋ ପିଉସୀ
କଲେଜରେ ପଢିବା ସମୟରେ ଗୋଟେ ଚମାର ପୁଅକୁ ଭଲପାଇ ବାହା ହେଲାପରେ ତାଙ୍କ ସହ ଆମ ଘରର ସମ୍ପର୍କ
ଛିନ୍ନ ହୋଇଛି I“ ମୁଁ ପୁଣି ଥରେ ବୁଝାଇବା ପାଇଁ ଚେଷ୍ଟାକଲି – ଏବେ
ବୁଝିପାରୁଛୁ ତ, ଝିଆରୀ କାହିଁକି ଏମିତି ପଦକ୍ଷେପ ନେଲା I ତୁମେମାନେ ଯେଉଁ ଭଲପାଇବା ତାକୁ ଦେଇଛ ବୋଲି କହୁଛ, ବରଂ ମୁଁ
କହିବି ତୁମେମାନେ ସମସ୍ତେ ତୁମର ଅଧିକାରକୁ ତା’ଠାରେ ଜାହିର କରିଛ I
କର୍ତ୍ତବ୍ୟ ଓ ଅଧିକାର ଦୁଇଟି ପରିପୂରକ I ହେଲେ ତୁମର
ତା’ ପ୍ରତି କର୍ତ୍ତବ୍ୟର ପ୍ରତି ବଦଳରେ ଅଧିକାର ସାବ୍ୟସ୍ତ କରିବା
ଅନୁଚିତ I ନିଃସ୍ଵାର୍ଥପର ସେବାର ମାନେ ଏଠି କ’ଣ ରହିଲା ? ଯେଉଁଟିକୁ ତୁମେ ଧରି ରଖିବାକୁ ଚେଷ୍ଟା କରିବ, ତାହା ତୁମଠୁ ଛାଡି ଚାଲିଯିବାର ସମ୍ଭାବନା ଅଧିକ ଥାଏ I
ନିଜ ପରିବାରର ପ୍ରତିପତ୍ତି ବା ପ୍ରତିଷ୍ଠାରୂପକ
ଅହଂକାର କାରଣରୁ ତୁମେମାନେ ଦୁଃଖ ପାଉଛ ବୋଲି କାହିଁକି ଭାବୁନାହଁ ?
ସଂସ୍କାର ଦେବାରେ କେଉଁଠି ନା କେଉଁଠି ଅବହେଳା ନିଜଆଡୁ ଥାଇପାରେ I ତା’ ନ ହୋଇଥିଲେ ଝିଅଟି ଏମିତି କାମ କରିବା ପୂର୍ବରୁ ପରିବାର ଲୋକଙ୍କ କଥା ନିଶ୍ଚୟ ଥରେ
ଚିନ୍ତା କରିଥାନ୍ତା I ତା’ଛଡା ଏକବିଂଶ
ଶତାବ୍ଦୀରେ ଥାଇ ତୁମମାନଙ୍କ ମନରୁ ଜାତିଗତ ପାର୍ଥକ୍ୟ କେମିତି ଯାଇନି ଯେ... ? ନୀଚ୍ଚ କୁଳରେ ଜନ୍ମିତ ବ୍ୟକ୍ତି କ’ଣ ପାପୀ ଅବା ସେ କୁଳରେ
ଜନ୍ମ ନେବା କ’ଣ ତା’ର ଅପରାଧ ? ସମାଜରେ ବର୍ଣ୍ଣବୈଷମ୍ୟ ନୀତି ଭଳି କଳୁଷିତ ଚିନ୍ତାଧାରା ତ ସାଧାରଣ ଲୋକେ ହିଁ
ସୃଷ୍ଟି କରିଛନ୍ତି I ପୁରୀ ଶ୍ରୀମନ୍ଦିରରେ ଅଭଡା ଅନ୍ନ ପାଇବା ବେଳେ କ’ଣ କେହି ତୁମର ଜାତି ଗୋତ୍ର ପଚାରେ ? ପ୍ରତି ବର୍ଷ ତୁ ଯେଉଁ
ତୋ ବାପମାଆଙ୍କୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ ନିମନ୍ତେ ନେଇଯାଉ, ସେଠାରୁ
ତୁମେମାନେ କ’ଣ ଶିଖ ? ମୋ କଥାକୁ ନୀରବ ହୋଇ
ଶୁଣିଚାଲିଥିଲା ମୋ ବନ୍ଧୁଜଣକ I ଜାଣିନି ତା’ର
ମାନସିକ ଚାପକୁ ହ୍ରାସ କରିବାରେ ମୁଁ କେତେଦୂର ସକ୍ଷମ ହେଲି, ହେଲେ ଶେଷ
ବାକ୍ୟରେ “ଭଗବାନ ମୋ ଝିଆରୀକୁ ଭଲରେ ରଖନ୍ତୁ” କହୁଥିବାର ଶୁଣି ଆଶ୍ଵସ୍ତ ହେଲି I
ଆମେ
ସର୍ବଦା ନିଜକୁ ଅନ୍ୟ ଠାରୁ ଶ୍ରେୟ ମଣିଥାନ୍ତି I ଯେଉଁମାନଙ୍କ ସହ ଯୋଗସୂତ୍ର ସ୍ଥାପନ କରୁ, ସେମାନଙ୍କ ସମ୍ପର୍କର ଡୋରୀରେ ଏମିତି ବାନ୍ଧି ହୋଇଯାଉ ଯେ ସେଥିରୁ ମୁକୁଳିବା ବହୁତ
କାଠିକର ପାଠ ହୋଇଯାଏ I ଆମ ଆଶା ହିଁ ଆମ ଦୁଃଖର ପ୍ରମୁଖ କାରଣ ହୋଇଥାଏ
I ଅନ୍ୟମାନଙ୍କ ପ୍ରତି ଆମର ଆସକ୍ତି ବା ମୋହ ଆମକୁ ତା’ ଆଡକୁ ଟାଣିଧରେ, ଫଳସ୍ୱରୂପ ଦୁଃଖ ଭୋଗ ହିଁ ସାର ହୁଏ I
***

Comments
Post a Comment