ଆଜିର ଇଣ୍ଟରନେଟ୍ ଯୁଗରେ ଯଦିଓ ଚଠିପତ୍ରର ବହୁଳ ବ୍ୟବହାର କମିଯାଇଛି ତଥାପି ଏହାର ଗୁରୁତ୍ବକୁ ଏଡାଇ ଦିଆଯାଇପାରିବ ନାହିଁ । ସାଧାରଣତଃ ଆମେମାନେ ଚିଠି ଲେଖିଲାବେଳେ ଠିକଣାରେ ପିନ୍ କୋଡ୍ ଲେଖିଥାଉ । କିନ୍ତୁ ଅନେକ ଲୋକ ଏହାର ତାତ୍ପର୍ଯ୍ୟ ଓ ଉଦ୍ଦେଶ୍ୟ ସମ୍ବନ୍ଧରେ ସଂପୂର୍ଣ୍ଣ ଅବଗତ ହୋଇ ନଥାନ୍ତି । ତେଣୁ ଭୁଲ୍ ହେଉ ଅବା ଠିକ୍ ହେଉ ପିନ୍ କୋଡ୍ ଲେଖିଥା'ନ୍ତି । ଏହି ପିନ୍ କୋଡ୍ ହେଉଛି ଏକ ଇଂରାଜୀ ସଂକ୍ଷେପଣ(Abbreviation) । ଏହାର ପୂର୍ଣ୍ଣ ବିସ୍ତାରଣ ହେଉଛି ଡାକ କ୍ରମାଙ୍କ ସଂଖ୍ୟା (Postal Index Number) । ସଂକ୍ଷେପରେ ଏହାକୁ PIN ବୋଲି କୁହାଯାଏ । ଚିଠିପତ୍ର ସର୍ଟି˚ କରିବା ଓ ସେଗୁଡ଼ିକୁ ସୁବିଧାରେ ନେଇ ଲକ୍ଷ୍ୟସ୍ଥଳରେ ପହଞ୍ଜାଇବା ନିମନ୍ତେ ଏହା ସହାୟକ ହୋଇଥାଏ ।
ଭାରତ ଭିତରେ ଯେ କୌଣସି ସ୍ଥାନର ପିନ୍ କୋଡ୍ ସବୁବେଳେ ଛଅ ଅଙ୍କ ବିଶିଷ୍ଟ ହୋଇଥାଏ । ପ୍ରତି ଅଙ୍କର ଗୋଟିଏ ଅର୍ଥ ଥାଏ ଓ ଏହା ଏକ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ପୂରଣ କରେ, ଯଥା: ପିନ୍-୭୫୬୦୦୧ । ବାମପଟେ ଥିବା ପ୍ରଥମ ଅଙ୍କ (୭) ଦେଶର ଏକ ନିର୍ଦ୍ଦିଷ୍ଟ ଅଞ୍ଚଳକୁ ବୁଝାଇଥାଏ । ଦ୍ବିତୀୟ ଓ ତୃତୀୟ ଅଙ୍କ (୫,୬) ଏକ ଉପାଞ୍ଚଳକୁ ସୂଚିତ କରେ ଓ କେଉଁ ମାର୍ଗ ଦେଇ ଡାକଟି ଲକ୍ଷ୍ୟସ୍ଥଳରେ ପହଞ୍ଚିବ, ତାହା ଦର୍ଶାଇଥାଏ । ପ୍ରଥମ ତିନୋଟି ଅଙ୍କ (୭,୫,୬), ଏକ ସର୍ଟିଂ ଜିଲ୍ଲାକୁ ବୁଝାଇଥାଏ । ପିନ୍ କୋଡ଼ର ଡାହାଣପଟେ ଥିବା ଶେଷ ତିନୋଟି ଅଙ୍କ ସର୍ଟିଂ ଜିଲ୍ଲା ଭିତରେ ଥିବା ଏକ ନିର୍ଦ୍ଦିଷ୍ଟ ବିତରଣ ଡାକଘରକୁ ସୂଚିତ କରେ । ଛଅଟି ଅଙ୍କ ମିଳିତ ଭାବରେ ଦେଶର ଏକ ନିର୍ଦ୍ଦିଷ୍ଟ ଡାକଘରକୁ ବୁଝାଇଥାଏ ।
ଭାରତୀୟ ଡାକବିଭାଗ ସମଗ୍ର ଦେଶକୁ ଆଠଟି ଜୋନ୍ ରେ ବିଭକ୍ତ କରିଛନ୍ତି । ଯଥା:
ଜୋନ୍ ନଂ - ୧ (ଦିଲ୍ଲୀ, ହରିଆଣା, ପଞ୍ଜାବ, ଚଣ୍ଡୀଗଡ଼, ହିମାଚଳ ପ୍ରଦେଶ, ଜାମ୍ମୁ ଓ କାଶ୍ମୀର)
ଜୋନ୍ ନଂ- ୨ (ଉତ୍ତର ପ୍ରଦେଶ)
ଜୋନ୍ ନଂ- ୩ (ରାଜସ୍ଥାନ, ଗୁଜରାଟ, ଦାମନ୍ ଏବଂ ଡିଉ, ଦାଦ୍ରା ଓ ନଗରହାବେଳୀ)
ଜୋନ୍ ନଂ- ୪ (ମହାରାଷ୍ଟ୍ର, ଗୋଆ ଓ ମଧ୍ୟପ୍ରଦେଶ)
ଜୋନ୍ ନଂ-୫ (ଆନ୍ଧ୍ରପ୍ରଦେଶ ଓ କର୍ଣ୍ଣାଟକ)
ଜୋନ୍ ନଂ- ୬ (ତାମିଲନାଡୁ, କେରଳ ଓ ଲାକ୍ଷାଦ୍ବୀପ)
ଜୋନ୍ ନଂ-୭ (ପଶ୍ଚିମବଙ୍ଗ, ଆଣ୍ଡାମାନ ଏବଂ ନିକୋବର ଦ୍ବୀପପୁଞ୍ଜ, ଓଡିଶା, ଅରୁଣାଚଳ ପ୍ରଦେଶ, ଆସାମ, ମଣିପୁର, ମେଘାଳୟ, ନାଗାଲାଣ୍ଡ ଓ ତ୍ରିପୁରା)
ଜୋନ୍ ନଂ-୮ (ବିହାର)
ଠିକଣାରେ ପିନ୍ କୋଡ଼ ଲେଖିବାପାଇଁ ଡାକବିଭାଗ ସମସ୍ତଙ୍କୁ ସଚେତନ କରାଇଥାଏ । ଉଦାହରଣ ସ୍ଵରୂପ, ପୋଷ୍ଟକାର୍ଡ, ଅନ୍ତର୍ଦ୍ଦେଶୀୟ ପତ୍ର, ମନିଅର୍ଡର ଫର୍ମ, ରେଜିଷ୍ଟ୍ରି ଲଫାପା ଇତ୍ୟାଦିରେ ପିନ୍ କୋଡ଼ ଲେଖିବା ପାଇଁ ଠିକଣାର ଶେଷଭାଗରେ ଛଅଟି ଛୋଟ ଛୋଟ କୋଠରି କରାଯାଇଥାଏ । ଅନ୍ତର୍ଦ୍ଦେଶୀୟ ପତ୍ର ରେ ସ୍ଵତନ୍ତ୍ର ଭାବରେ 'ଠିକଣାରେ ପିନ୍ କୋଡ଼ ଲେଖ' ବୋଲି ନିର୍ଦ୍ଦେଶ ଥାଏ ।
ଏସବୁ ସତ୍ତ୍ୱେ ଅନେକ ଲୋକ ଠିକଣାରେ ପିନ୍ କୋଡ୍ ଲେଖନ୍ତି ନାହିଁ କିମ୍ବା ଏହାର ଗୁରୁତ୍ୱ ବୁଝନ୍ତି ନାହିଁ । ଫଳରେ ଚିଠିଟି ଲକ୍ଷ୍ୟସ୍ଥଳରେ ପହଞ୍ଚିବାରେ ବିଳମ୍ବ ହୋଇଥାଏ ଅବା ବେଳେ ବେଳେ ଭୁଲ୍ ସ୍ଥାନରେ ପହଞ୍ଚିଥାଏ । ଉଦାହରଣ ସ୍ବରୂପ, ଧରାଯାଉ ଜଣେ ଲୋକ ଜୟପୁର (ରାଜସ୍ଥାନ)କୁ ଚିଠି ଦେଲେ । କିନ୍ତୁ ଅସାବଧାନତା ଯୋଗୁଁ ହେଉ ବା ଅନ୍ୟ କୌଣସି କାରଣରୁ ସେ ରାଜ୍ୟର ନାମ ରାଜସ୍ଥାନ ବୋଲି ଉଲ୍ଲେଖ କରିପାରିଲେ ନାହିଁ । ତେଣୁ ଏ ଚିଠିଟି ଯେ ଓଡ଼ିଶାର ଜୟପୁର କୋରାପୁଟ)କୁ ଗୃଲି ନଯିବ, ଏକଥା କିଏ କହିବ ? କିନ୍ତୁ ପ୍ରେରକ ଯଦି ଠିକଣାରେ (ରାଜସ୍ଥାନ)ର ପିନ୍ କୋଡ୍ ଲେଖିନ୍ତି, ତା'ହେଲେ ଅସୁବିଧା କିଛି ହେବ ନାହିଁ । କାରଣ ରାଜସ୍ଥାନକୁ ଯାଉଥିବା ଚିଠିର ପିନ୍ କୋଡ଼ର ପ୍ରଥମ ଅଙ୍କ ୩ରୁ ହିଁ ଏହା ସ୍ପଷ୍ଟ ହୋଇଯିବ । ଓଡ଼ିଶାର ଜୟପୁର ଜିଲ୍ଲାକୁ ଯାଉଥିଲେ ପ୍ରଥମ ଅଙ୍କ ୭ରୁ ହିଁ ଏହା ବାରି ହୋଇପଡ଼ିବ । ଚିଠି ସର୍ଟିଂ କରୁଥିବା କର୍ମଚାରୀମାନେ ଏହି କାର୍ଯ୍ୟରେ ଏତେ ଅଭ୍ୟସ୍ତ ଥାଆନ୍ତି ଯେ ସେମାନେ ସ୍ଥାନର ନାମରୁ ମଧ୍ୟ ଲକ୍ଷ୍ୟସ୍ଥଳକୁ ଚିହ୍ନଟ କରିପାରନ୍ତି । ଅବଶ୍ୟ ଏହା କେବଳ ପରିଚିତ ଓ ପ୍ରସିଦ୍ଧ ସ୍ଥାନମାନଙ୍କ ପାଇଁ ପ୍ରଯୁଜ୍ୟ । ସମସ୍ତେ ମନେରଖିବା ଉଚିତ ଯେ ଠିକଣାଟି ଯେତେ ପରିଷ୍କାର ଓ ନିର୍ଭୁଲ ଭାବେ ଲେଖାଯିବ, ଲକ୍ଷ୍ୟସ୍ଥଳରେ ତାହା ଠିକ୍ ସମୟରେ ପହଞ୍ଚିବାରେ ସହାୟକ ହେବ । କେହି ଯଦି ପିନ୍ କୋଡ଼ଟି ଠିକ୍ ଭାବରେ ଜାଣି ନଥା'ନ୍ତି, ଯେ କୌଣସି ଡାକଘରକୁ ଯାଇ ଅବା ଇଣ୍ଟରନେଟ୍ ସର୍ଚ୍ଚ କରି ସଂପୃକ୍ତ ଡାକଘରର ପିନ୍ କୋଡ୍ ବୁଝିପାରିବେ ବା ଉଚିତ ପରାମର୍ଶ ପାଇପାରିବେ । ବଡ଼ ବଡ଼ ଡାକଘରମାନଙ୍କରେ ପିନ୍ କୋଡ୍ ସମ୍ବଳିତ ସାରଣୀ (Chart) ସର୍ବସାଧାରଣଙ୍କ ଦୃଷ୍ଟିରେ ପଡ଼ିବା ଭଳି ସ୍ଥାନରେ ପ୍ରଦର୍ଶିତ ହୋଇଥାଏ ।

Comments
Post a Comment